
କଳାହାଣ୍ଡି(ସ୍ବାସ୍ଥିଦୀପ ଆଦିତ୍ୟ): ନର୍ଲାରୋଡର ନିର୍ମଳ ଚନ୍ଦ୍ର ସାହୁ ଓରଫ ଟିକନ (୪୫) ନର୍ଲାରୋଡ ଶିବ ମନ୍ଦିର ପାର୍ଶ୍ୱସ୍ଥ ସିକେରମୁଣ୍ଡା ପୋଖରୀ ରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ମଙ୍ଗଳବାର ଅପରାହ୍ନ ୨ ଟା ବେଳେ ସେ ଉକ୍ତ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ଘର ଲୋକେ ଖୋଜା ଖୋଜି କରିବା ବେଳେ ପୋଖରୀ ହୁଡ଼ାରେ ତାଙ୍କର ସାଇକେଲ, ଚପଲ ଓ ପୋଷାକ ରହିଥିବା ଦେଖି ପୋଖରୀ ପାଣିରେ ଖୋଜିଥିଲେ। ଏହାପରେ ସନ୍ଧ୍ୟାରେ ନର୍ଲା ଦମକଳ ବାହିନୀ ଆସି ଖୋଜିଥିଲେ ହେଲେ ଶବ ମିଳି ନଥିଲା। ପୁଣି ବୁଧବାର ସକାଳୁ ଦମକଳ ବାହିନୀ ଆସି ପୋଖରୀ ଭିତରୁ ଶବ ଉଦ୍ଧାର କରି ପୋଲିସକୁ ସୂଚନା ଦେଇଥିଲେ। ନର୍ଲା ଆଇଆଇସି ସର୍ବେଶ୍ଵର ସାମନ୍ତରାୟଙ୍କ ନେତୃତ୍ଵରେ ପୋଲିସ ବାହିନୀ ଶବ ବ୍ୟବଚ୍ଛେଦ ପାଇଁ ମ. ରାମପୁର ଶବକୁ ପଠାଇବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି। ସ୍ଵର୍ଗତ ଶ୍ରୀ ସାହୁ ନର୍ଲାରୋଡରେ ଜଳଖିଆ ଦୋକାନ କରି ଚଳୁଥିଲେ। ପ୍ରତିଦିନ ଉକ୍ତ ପୋଖରୀର ସେହି ଘାଟରେ ଗାଧୋଉଥିବା ଟିକନ ସାହୁ କମ ପାଣିରେ କେମିତି ବୁଡ଼ିଯାଇ ମୃତ୍ୟୁ ବରଣ କଲେ ତାହା ଜଣା ପଡିନାହିଁ। ତଦନ୍ତ ଚାଲିଚି। ଶବ ବ୍ୟବଚ୍ଛେଦ ପରେ ସମସ୍ତ ବିଷୟ ଜଣା ପଡ଼ିବ ବୋଲି ନର୍ଲା ଆଇଆଇସି ପ୍ରକାଶ କରିଛନ୍ତି।











