
ଧର୍ମଗଡ(ସ୍ବାସ୍ଥିଦୀପ ଆଦିତ୍ୟ):ଅଖିଳ ଭାରତ ଯୁବସଂଘ,କଳାହାଣ୍ଡି ଜିଲ୍ଲା ତରଫରୁ ଆଜି ମେ ପହିଲା ୨୦୨୫ ଧର୍ମଗଡ ଉପଖଣ୍ଡ ହୋଟେଲ ରାଜ ସମ୍ମିଳନୀ ଗୃହରେ ସାଙ୍ଗଠନିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ରେ ସାଥି ଜଗଦୀଶ ଦୁର୍ଗା, ସାଥି ହିମାଂଶୁ ଶେଖର ନାଏକ,ସାଥି ରାଜାରାମ ଡଙ୍ଗରିଙ୍କୁ ନେଇ ସଭାପତି ମଣ୍ଡଳୀ ଗଠନ କରାଯାଇଥିଲା । ସାଥି ଜଗଦୀଶ ଦୁର୍ଗା ଶୋକ ପ୍ରସ୍ତାବ ଆଗତ କରିଥିଲେ । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାକ୍ତନ ରାଜ୍ୟ ସମ୍ପାଦକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । CPI ର ପୂର୍ବତନ ଜିଲ୍ଲା ସମ୍ପାଦକ ସାଥି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଏହି କର୍ମଶାଳା କୁ ଉଦଘାଟନ କରିଥିଲେ । ଦେଶ ରାଜ୍ୟ ତଥା ଜିଲ୍ଲାର ସାମ୍ପ୍ରତିକ ପରିସ୍ଥିତି ଓ ଅର୍ଥନୈତିକ ସଙ୍କଟ ଓ ଆନ୍ତର୍ଜାତିକ ସ୍ଥିତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ସାଥି ଦାମୋଦର ବେହେରା କହିଲେ ଯେ ଯୁବସଂଘକୁ ଶକ୍ତିଶାଳୀ କରି ଗଢିତୋଳିବା ଆମ ସମସ୍ତଙ୍କର ଦାୟିତ୍ୱ । ପରେ ପରେ ସାଥି ବିଶ୍ୱମ୍ବର ଦଳେଇ,ରାଜାରାମ ଡଙ୍ଗରି,ଜଗଦୀଶ ଦୁର୍ଗା ଓ ହିମାଂଶୁ ଶେଖର ନାଏକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି କର୍ମଶାଳାରେ ପାଞ୍ଚ ଜଣିଆ କମିଟି ଗଠିତ ହୋଇଥିଲା । ସାଥି ହିମାଂଶୁ ଶେଖର ନାଏକ ଜିଲ୍ଲା ଆବାହକ,ସାଥି ବିଶ୍ୱମ୍ବର ଦଳେଇ ଯୁଗ୍ମ ଆବାହକ ଓ ସାଥି ବଡ଼ ଜାଲ,ସାଥି ଆଶିଷ ସାହୁ,ସାଥି ଦେବରାଜ ଲହଜଲ ଙ୍କୁ ନେଇ ଏକ କମିଟି ଗଠନ ହେଲା । ରାଜ୍ୟ ସମ୍ମିଳନୀକୁ ତିନି ଜଣିଆ ପ୍ରତିନିଧି ସାଥି ଯଥା ହିମାଂଶୁ ଶେଖର ନାଏକ, ବିଶ୍ୱମ୍ବର ଦଳେଇ ଓ ଦେବରାଜ ଲହଜଲଙ୍କୁ ନିର୍ବାଚିତ କରାଗଲା । ପରବର୍ତ୍ତୀ ସମୟରେ କଳାହାଣ୍ଡି ଜିଲ୍ଲାରେ ସଭ୍ୟ ସଂଗ୍ରହ କରାଯାଇ ସମ୍ମିଳନୀ ଅନୁଷ୍ଠିତ କରାଯିବ । ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଯୁବସଂଘ ନେତୃତ୍ୱରେ ଜନଆନ୍ଦୋଳନ କରିବାକୁ ନିଷ୍ପତି ନିଆଯିବ ।